Unknown

 

 

 

 

 

 

 

 

 

ନିବାତ କବଚ ବଧ ସୁଆଙ୍ଗ

ଗଣକବି ବୈଷ୍ଣବ ପାଣି

 

(ସୂଚିଛନ୍ଦ)

[ଦ୍ୱିଜରାଜମୁଖୀ ସଜକଞ୍ଜଆଖି – ବୃତ୍ତେ]

 

ହରି ହରି ବୋଲ ହରିଭକ୍ତ ଜନେ ଶୁଣ ହାରିକଥା ହେ । କାଳକୁ କାଳକୁ ତିଳେ ନ ରହିବ ହୃଦରେ ଚନ୍ତା ହେ ।ପଦ। ଶ୍ରୀମହାଭାରତ ସୁଧାମୟ ଗୀତ ସତ୍ୟବତୀ ପୁତ୍ର ମୁଖରୁ ନିଃସୃତ-। ବନପର୍ବ ଏହୁ ଅପୂର୍ବ ଚରିତ ଅଟେ ସୁକବିତା ହେ ।୧। ପଶାଖେଳେ ହାରି ରାଜ୍ୟସିଂହାସନ ବନବାସୀ ହେଲେ ଧର୍ମଙ୍କ ନନ୍ଦନ । ଘେନି ଭାଇମାନେ ଭ୍ରମନ୍ତି କାନନ ହୋଇ ହୀନଚେତା ହେ ।୨। କରିଣ ମୃଗୟା ନାଶି ମୃଗମଣ ତାହା ଖାଇ ପ୍ରାଣ କରନ୍ତି ଧାରଣ । କନ୍ଧେ ଧନୁ-ତୂଣ ସହସ୍ରକିରଣ ପରି ତେଜୋବନ୍ତା ହେ ।୩। ଭ୍ରମି ନାନାସ୍ଥାନ କାମ୍ୟବନେ ଯାଇ, ବିଚାର କରନ୍ତି ତହିଁ ପାଞ୍ଚଭାଇ । ବଇଷ୍ଣବ କହି ଦୀନଜନ ମୁହଁ ସେ ମୋର ଦେବତା ହେ ।୪।

 

(ଯୁଧିଷ୍ଠିରାଦି ପାଣ୍ଡବଙ୍କର ଦୌପଦୀସହ ପ୍ରବେଶ । ଭୀମର ଗୀତ)

[ଚେଁ ଦେଖ ଆବାର ଚେଁ ଦେଖ୍‌ – ବୃତ୍ତେ]

 

ସାଜ ସାଜ ଧର୍ମରାଜ ଆଜ ରଣସାଜେ ହେ । ବିନଶିବା ଶତ୍ରୁବୃନ୍ଦ ନିଜ ନିଜ ତେଜେ ହେ-।ପଦ। ବନବାସ କଷ୍ଟ ନ ପାରିବା ସହି । ନଷ୍ଟ କରି ଅରି ହେବା ରଣେ ଜୟୀ । ଶ୍ରୀକୃଷ୍ଣ ଯା’ ଇଷ୍ଟ ସଦା ଥାନ୍ତି ରହି ସଦାଶିବ ଯା’ରେ ଭଜେ ହେ ।୧। ଘେନ ଘେନ ଗଦା କୁନ୍ତ ଅସି ଭଲ୍ଲ, ଜୟ ଜନାର୍ଦ୍ଦନ ଉଚ୍ଚାରିଣ ଚାଲ । ଘଷ କାଇମାଟି ନେତ୍ର କରି ନାଲ୍‌ ବୀରନେତ ବାନ୍ଧ ଭୁଜେ ହେ ।୨। କପଟୀ ହରାଇ କପଟ ଦ୍ୟୁତରେ ଘେନି ରାଜ୍ୟଭାର ଅଛି ନିଶ୍ଚିତରେ । ବଇଷ୍ଣବ ଭାଷେ ଦୁଃଶାସନବକ୍ଷ ଉପାଡ଼ିବି ଏ କରଜେ ହେ ।୩।

 

(ଯୁଧିଷ୍ଠିର ପ୍ରବୋଧନା)

[ଗୀତ ଯମୁନାକୁ ଜଳ ଆଣି ଯିବା – ବୃତ୍ତେ]

 

ଥୟ ଧର ବୃକୋଦର ମୋର ଗିର ଶୁଣ ରେ । ପ୍ରାଣ ପଛେ ପଛେ ଯାଉ ଭାଉ ନ ଛାଡ଼ିବି ପଣ ରେ । ପଦ । ପୂର୍ବଦିଗ ରବି ଯେବେ ପଶ୍ଚିମେ ଉଦୟ ହେବେ । ତଥାପି ନ ହେବ ମୋର ପଣ ଅକାରଣ ରେ ।୧। ଯାଉ ରାଜ୍ୟ ସିଂହାସନ ଧନ ମାନ ଅଭିମାନ । ଅଚିର ଏ ମନେ ସତ୍ୟ ବୀର ଜାଣ ରେ ।୨। ସତ୍ୟକୁ ଧରି ବାସୁକି ବହୁଅଛି ପୃଥିବୀକି । ସତ୍ୟ ପାଳି ଚନ୍ଦ୍ରସୂର୍ଯ୍ୟ କରନ୍ତି ଭ୍ରମଣ ରେ ।୩। ସତ୍ୟଭଗ୍ନ କରେ ଯେହୁ ନର୍କେ କୀଟ ହୁଏ ସେହୁ । ବଇଷ୍ଣବ ଭାଣି ସତ୍ୟରୂପା ନାରାୟଣ ରେ ।୪।

 

[ଭୀମର ବଚନିକା]

 

ଶୁଣ ଶୁଣ ଜ୍ୟେଷ୍ଠଭ୍ରାତ, ଧରୁଛି ଚରଣ

ଦୁର୍ଯ୍ୟୋଧନ ସହ ଚାଲ କରିବାକୁ ରଣ

ସିଂହ ସଙ୍ଗେ ଯେଉଁ ଧର୍ମ ଆଚରେ ଶାର୍ଦ୍ଦୂଳ

ଭେକ ସଙ୍ଗେ ଭୁଜଙ୍ଗ ଓ ଭୁଜଙ୍ଗେ ନକୁଳ

କରୀ ସଙ୍ଗେ ଯେ ଧରମ ଆଚରେ କେଶରୀ

ଶତ୍ରୁପଣେ ଶତ୍ରୁ ସଙ୍ଗେ ସେହି ଧର୍ମ ଧରି

କପଟୀ ସହ କରିବ କପଟ ବେଭାର

ବିଧର୍ମୀ ସହିତ ନୋହେ ଧର୍ମ ପାଳିବାର

ବିଷଲଡୁ ପ୍ରଦାନେ କି ନୁହଇ ଅର୍ଧମ

ପୁଣି ଜତୁଗୃହେ ଭରି ଅନଳେ ଦାହନ

କି ଧର୍ମ ଦେଖାଅ ଭାଇ, ବିନାଶ ବିପକ୍ଷ

ଧର୍ମ ଧର୍ମକରତା ଯେ ପାଣ୍ଡବଙ୍କ ପକ୍ଷ

ଚକ୍ରୀ କରେ ଥିଲେ ଚକ୍ର ପାଣ୍ଡବେ ଅମର

କି କରି ପାରିବେ ପାପାଚାରୀ କର ଛାର

 

(ବ୍ୟାସଦେବଙ୍କ ପ୍ରବେଶ ଓ ଗୀତ)

[ସୈରିନ୍ଧ୍ରୀ ମୋର ସଙ୍ଗେ ଆସ – ବୃତ୍ତେ]

 

ଘେନ ଘେନ ଆମ୍ଭ ଉପଦେଶ ହେ ନରେଶ ! ତୁମ୍ଭ ଦୁଃଖେ ଦୁଃଖୀ ତୁମ୍ଭ ସୁଖେ ସୁଖୀ ହୋଇ ଆସିଛି ତୋ ପାଶ ହେ ।ପଦ। ଏହି ବିଦ୍ୟା ନିଅ ସାଧିଲେ ନିର୍ଭୟ ହୋଇବ ହେ ପଣ୍ଡୁଶିଷ । ନାମ ମୋର ସ୍ମୃତି ଜିଣିବି ଧରିତ୍ରୀ ଶତ୍ରୁ ହେବେ ତୋ ବିନାଶ ହେ ।୧। ଖାଣ୍ଡବଦାହୀ ଗାଣ୍ଡିବ ଧରି କରେ ହିମାଳୟେ କରୁ ବାସ । କରି ୟାକୁ ଜପ ଆଚରିଲେ ତପ ପ୍ରସନ୍ନ ହେବେ ମହେଶ ହେ ।୨। ହର ଦେବେ ବର ପାଶୁପତ ଶର ସେ ବଳେ ଜିଣ ତ୍ରିଦଶ । ଅବଶ୍ୟ ହୋଇବ କାମନା ସଫଳ କ୍ଷିତିରେ ରଖିବୁ ଯଶ ହେ ।୩। ଏ ଆମ୍ଭର କଥା ନ କରି ଅନ୍ୟଥା ଅର୍ଜୁନେ ବହନ ପେଷ । ବଇଷ୍ଣବ କହି ଘେନି ଚାରିଭାଇ ଭ୍ରମ ନାନା ତୀର୍ଥ ଦେଶ ହେ ।୪।

 

(ଯୁଧିଷ୍ଠିର ଗୀତ)

[ନିଷେଧ କରୁଛି ସଖି – ବୃତ୍ତେ]

 

ଆସ ଆସ ରେ କିରଟୀ ଆସ ମୋର କୋଳରେ । ତୁହି ଏକା ଅଟୁ ଭାଇ ପାଣ୍ଡବଙ୍କ ବଳ ରେ ।ପଦ। ବ୍ୟାସଦତ୍ତ ଘେନି ହିମାଚଳେ ଚଳ ରେ । ଘୋର ତପବଳେ ବୀର ତୋଷ ଚନ୍ଦ୍ରଚୂଳରେ ।୧। ଫଳିତ ତରୁର ପତ୍ର କରିବୁ କବଳ ରେ । ଶିବ ଦୟା କଲେ କାର୍ଯ୍ୟ ହୋଇବ ସଫଳ ରେ ।୨। ଫଳ କନ୍ଦମୂଳ ଭକ୍ଷି କଟାଇବୁ କାଳ ରେ । ତେବେ ସେହି ଜଟାଧରେ ଦେଖିବୁ ତୁ ଡୋଳେ ରେ ।୩। ଅକର୍ମୀଦାନୀ ମହେଶ ଭାଷନ୍ତି ସକଳ ରେ । ବଇଷ୍ଣବ ଭଣି ଦେବେ କର୍ମହୀନେ ଫଳ ରେ ।୪।

 

ଦ୍ରୌପଦୀ

-

ଧନଞ୍ଜୟ, ଯାଅ ଯାଅ ହିମାଦ୍ରି ଶିଖରେ ।

 

 

ସତୀ ମୁହିଁ ଜଣାଉଛି ଭୋଳା ମହେଶ୍ୱରେ,

 

 

ଅବଶ୍ୟ ଫେଡ଼ିବେ ଦୁଃଖ ଦେବ ତ୍ରିଲୋଚନ;

 

 

ଅନ୍ୟଥା ନ ହେବ କେଭେ ସତୀର ବଚନ ।

 

 

ମାନୁନାହିଁ, ମନାଉଛି ଅବୋଧ ମନକୁ,

 

 

ତେଜି ପାରଇ କି କେହି ଅଞ୍ଚଳଧନକୁ ?

 

 

ରେ ଦାରୁଣ ବିଧି, ତୋର ତିଳେ ଦୟା ନାହିଁ ।

 

 

ଦୁଃଖ ଏକା ସୃଜିଥିଲୁ ପାଣ୍ଡବଙ୍କ ପାଇଁ ?

 

 

ସତୀ ମୁହିଁ, ବାକ୍ୟ ମୋରଫଳିବ ଅବଶ୍ୟ –

 

 

କରୁକୁଳ ସମୂଳରେ ହେବେ କାଳେ ନାଶ ।

 

 

କାହିଁପାଇଁ ତଳକୁ ଅନାଥ ଧର୍ମରାଜ !

 

 

ଆଶୀର୍ବାଦ କର ଶୀଘ୍ର ଜୟ ହେଉ କାର୍ଯ୍ୟ ।

(ଅର୍ଜୁନର କର ବିଦାୟ ଗୀତ)

[ଭାଗବତ – ବୃତ୍ତେ]

ନମସ୍ତେ ଜ୍ୟେଷ୍ଠ ସହୋଦର

ମୋ ଶିରେ ଲଗାଅ ପୟର

ନମସ୍ତେ ଭାଇ ଭୀମସେନ

ଅରାତି ଗରବ ଗଞ୍ଜନ

ଆସ ନକୁଳ କରେ କୋଳ

କିପାଁ ଗଡ଼ାଉ ଅଶ୍ରୁଜଳ

ହେ ମନ୍ତ୍ରୀ ଆଲିଙ୍ଗନ କରି

ଯାଉଛି ହିମାଳୟ ଗିରି

ମୋ ପାଇଁ ନୋହିବ ଚିନ୍ତିତ

ସୁଖେ ଭ୍ରମଣ କରି ତୀର୍ଥ

ଏହି ଗାଣ୍ଡିବି ଥିଲେ କରେ

ଗାଣ୍ଡିବୀ କାହାକୁ ନ ଡରେ

ନିରଖେ ଅସି ଝୁଲେ କଟି

ଶରେ ପୂରିତ ତୂଣ ଗୋଟି

ଜୟ ମଙ୍ଗଳ ଗାଇ ମୁଖେ

ବଇ ବୋଲଇ ଯିବି ସୁଖେ

(ଯାଉଁ ଯାଉଁ ବାଟେ ଅର୍ଜୁନର ସ୍ତବ)

[ନମସ୍ତେ କରୁଣାସିନ୍ଧୁ – ବୃତ୍ତେ]

ନମୋ କାଳୀୟଗଞ୍ଜନ ଦରିଦ୍ରଦୁଃଖଭଞ୍ଜନ ହରି ହେ ! ଗୋପିକା ମନୋରଞ୍ଜନ ସଜ ସରୋଜବଦନ ହରି ହେ ।ପଦ। ତୋର ମାୟା ମାୟାଧର, ନ ଜାଣେ ବ୍ରହ୍ମା ଶଙ୍କର; ମୁହିଁ କି ଜାଣିବି ତାହା ନରକୁଳେ ଅବତରି, ହରି ହେ ।୧। ତୋ ଦୟା ହେଲେ ଗୋବିନ୍ଦ, ଚକ୍ଷୁ ପାଏ ଜନ୍ମଅନ୍ଧ, ମୂକ ହୁଅଇ ବକତା ପଙ୍ଗୁ ଲଙ୍ଘିପାରେ ଗିରି, ହରି ହେ ।୨। ଯାଉଛି ମୁଁ ହିମାଚଳେ, ସାହା ହୁଅ ଏତେବେଳେ; ବିପ୍ର ବଇଷ୍ଣବ ଭାଳେ ମୁହିଁ କି ନୁହେଁ ତୋହରି, ହରି ହେ ।୩।

(ଯୋଗୀବେଶରେ ଇନ୍ଦ୍ରର ପ୍ରବେଶ)

ଇନ୍ଦ୍ର

-

ସାବଧାନ ସାବଧାନ ରହ ତହିଁ ପାର୍ଥ ।

 

 

ତହିଁକି ଯିବାକୁ କେଭେ ନ ପାଇବୁ ପଥ ।୧।

 

 

ହିମାଦ୍ରୀ ଗନ୍ଧମାଦନ ଲଙ୍ଘିଲୁ ଅର୍ଜୁନ !

 

 

ଇନ୍ଦ୍ରନୀଳଗିରି ଏଥେଁ କର ତୁ ବିଶ୍ରାମ ।୨।

[ଗୀତ କାନ୍ଦିଲେ କି ହେବ କରୀନ୍ଦ୍ରଗମନା – ବୃତ୍ତେ]

ହେ କବଚଧାରୀ, କି ନାମ ତୋହରି ଏଥକୁ କିପାଇଁ ଆସିଛୁ ? କନ୍ଧେ ତୂଣଭାର; କରେ ଧନୁଶର କଟିତଟେ ଅସି କଷିଛୁ ।୧। ଏ ତ ଦେବଭୂଇଁ ଶତ୍ରୁ ଏଥି ନାହିଁ ଏ ବେଶେ କିପାଇଁ ପଶିଛୁ । ତେଜି ବୀର ଧନୁ ଭୟ ତେଜ ମନୁ ଦେବସୂନୁ ପ୍ରାୟ ଦିଶୁଛୁ ।୨। ଅଭେଦ୍ୟ କବଚ ତେଜ ବେଗେ ବତ୍ସ କୋଟି ସୂର୍ଯ୍ୟ ତେଜ ନାଶୁଛୁ । ଦିବ୍ୟଗତି ଲାଭେ ଆସିଅଛୁ ଯେବେ ଏ ଭାବେ କି ପାଇଁ ରସିଛୁ-।୩। ଯେବେ ପଶୁବଧୁ ମନେଥାଏ ସାଧ ଅନଳେ କି ହେତୁ ଝାସୁଛୁ । କି ଯୋଗେ ମହୀକି ଚାହିଁଛୁ ରେ ବଳା ଉତ୍ତର ତିଳେ ନ ଭାଷୁଛୁ । କହେ ବଇଷ୍ଣବ ଏ କେମନ୍ତ ଭାବ ମନେ କାହା ନାମ ଘୋଷୁଛୁ ।୪।

ଅର୍ଜୁନ

-

ଶୁଣ ଜଟାଧର, ଦୀନ କୁନ୍ତିଗର୍ଭେ ଜାତ,

 

 

ନାମ ମୋ ଅର୍ଜୁନ, ମୁହିଁ ଇନ୍ଦ୍ରରାଜସୁତ ।

ଇନ୍ଦ୍ର

-

ଶୁଣ ବତ୍ସ ମୁହିଁ ସେହି ଇନ୍ଦ୍ର ପିତା ତୋର,

 

 

ମନ ବିଡୁଥିଲି ଏବେ ମାଗି ଘେନ ବର ।

ଅର୍ଜୁନ

-

ଯେବେ ତୁମ୍ଭେ ଅଟ ସେହି ସହସ୍ରଲୋଚନ,

 

 

ମାଗୁଅଛି ଦିଅ ମୋତେ ଅସ୍ତ୍ରଶସ୍ତ୍ରମାନ ।

ଇନ୍ଦ୍ର

-

ଆସ ସ୍ୱର୍ଗେ ବସି ସିଂହାସନ ଭୋଗ କର,

 

 

ଇନ୍ଦ୍ରପଦ ପାଇଲେ ସେ ଅସ୍ତ୍ର କିବା ଛାର ।

ଅର୍ଜୁନ

-

ପ୍ରାଣ ପିଣ୍ଡେ ଥାଉଁ ନ ତେଜିବି ଚାରିଭାଇ,

 

 

ବନେ ଛାଡ଼ି ଆସିଅଛି ଶିବସେବା ପାଇଁ ।

ଇନ୍ଦ୍ର

-

ଘୋର ତପ କରି ଶିବେ ତୋଷ କରୁ ଯେବେ,

 

 

ସକଳ କାର୍ଯ୍ୟ ସଫଳ ହୋଇପାରେ ତେବେ ।

 

 

(ଇନ୍ଦ୍ରଙ୍କର ପ୍ରସ୍ଥାନ)

(ଅର୍ଜୁନର ଶିବସ୍ତବ)

[କହ କହ ମନ୍ତ୍ରି ମୋର ରାଜ୍ୟ ସମାଚାର – ବୃତ୍ତେ]

ନମସ୍ତେ ହେ ଶୂଳଧର ଶଶାଙ୍କଶେଖର ହର, ତ୍ରିପୁରାସୁରମର୍ଦ୍ଦନ ଦୀନଜନ–ଦୁଃଖ ହର-।ପଦ। ଶଶ୍ମାନେ ସଦା ବିହାର ପୂଜିତ ମର ଅମର, ଗଳେ ଶୋହେ ନାଗହାର ଆସନ ବୃଷଭପର ।୧। କାଳରୂପେ ଅବତର; ଅକାଳେ ସୃଷ୍ଟି ସଂହାର । ଶର୍ଦ୍ଦୂଳ ଚର୍ମ ଅମ୍ବର କଟିତଟେ ଶୋହେ ତୋର-।୨। ବିଲଦଳେ ତୋଷ ଯା’ର ଜଟାଭାର ମସ୍ତକର । ମୋର ଗିର ଗଙ୍ଗାଧର ନ ଶୁଣ କର୍ଣ୍ଣକୁହର-।୩। ବାରେ ମୋତେ ଦିଅ ବର କିପାଁ କର ହରବର । ବିପ୍ର ବଇଷ୍ଣବ ଗିର ଗିରିଜାପତି ମୁଁ ତୋର-।୪।

[ଛାନ୍ଦ ଚାରିପାଦିଆ – ବୃତ୍ତେ]

ଜୟ ହେ ବୃଷାସନ ଘେନ ବିନତି । ଅଗତି ଜନଙ୍କର ଅଟୁ ତୁ ଗତି ହେ, ଭକ୍ତ ଗୁହାରି । କିପାଁ ନ ଶୁଣୁ ଥରେ ଶ୍ରବଣ ଡେରି ହେ ।୧। ତେଜିଣ ଅନ୍ନ ଜଳ ଭୁଞ୍ଜିଲି ପତ୍ର; ସଦା ଭଜିଲି ତୋହ ନାମ ତ୍ରିନେତ୍ରେ ହେ, ବିଚିତ୍ର ଏହି । ତେବେ ତୋ ମୂର୍ତ୍ତି ନେତ୍ରେ ଦେଖିଲି ନାହିଁ ହେ ।୨। କମଠପୃଷ୍ଠରୁ ତୋ ହୃଦ କଠୋର, କିପାଁ ମୋ କର୍ମକୁ ହେଉଅଛୁ ନିଷ୍ଠୁର ହେ, ଅନିଷ୍ଟ ହେବ । ଅଭଷ୍ଟୀସାଧନ ମୋ ଯେବେ ନୋହିବ ହେ ।୩। ଛାଡ଼ିବି ଏ ଜୀବନ ତୋ ନାମ ଧରି । ପଡ଼ିବ ତୋର ନାମେ କଳଙ୍କ ହୁରି ହେ, ଉଡ଼ିବ ବାନା । ଭକତମରା ବୋଲି ବୋଲିବେ ସିନା ହେ ।୪। କିସ ଅଜଣା ତୋତେ ପାର୍ବତୀପତି ! ଜାଣୁ ଜାଣୁ ଦାସରେ ଦେଉ ଦୁର୍ଗତି ହେ, ବୈଷ୍ଣବ ଭାଷି । ଊଣା କିପାଁ ତୋହର କରୁଣାରାଶି ହେ ।୫।

(ଗିରିବାସୀ ଶିବଙ୍କୁ ଜଣାଇବା ଗୀତ)

[ଭଜରେ ମନ ଭୂତନାଥ ବୃଥା]

ରକ୍ଷ ହର ହର ଶିବ ଶଙ୍କର ଦକ୍ଷଯଜ୍ଞନାଶନଂ । ବିରୂପାକ୍ଷ ବିପଭକ୍ଷ ବୃଷଭୋପରି ଆସନଂ ।ପଦ। ଲକ୍ଷ ଲକ୍ଷ ରକ୍ଷ ମୋକ୍ଷଣଦାତା, ଭେକଭକ୍ଷ ହାର ବକ୍ଷେ ଶୋଭିତା । ଅକ୍ଷତ କ୍ଷୀର କ୍ଷୀର ନୀର ବଲ୍ୱବୃକ୍ଷପତ୍ର ଅଶନଂ ।୧। ଡିବିଡିବିଡିବି ଡମ୍ବରୁ ବାଜେ, ଖଡ଼ କଡ଼ ହାଡ଼ମାଳା ଯେ ରାଜେ । ଭୂତପ୍ରେତ ସଙ୍ଗେ ବିଜେ ଶାର୍ଦ୍ଦୂଳଚର୍ମବସନଂ ।୨। ଆଜାନୁଲମ୍ବିତ ଜଟାଜୂଟ, ଭସ୍ମ-ବିଲେପନ ରୂପ ବିକଟ । ବିପ୍ର ବଇଷ୍ଣବ କଷ୍ଟ ନଷ୍ଟ କର କର ଈଶାନଂ ।୩।

(ଦୁର୍ଗାଙ୍କର ଶିବଙ୍କ ପ୍ରତି ଗୀତ)

[ରହ ରେ ବାଣୁଆ ଭାଇ – ବୃତ୍ତେ]

ଭକ୍ତଗୁହାରି କାହିଁକି ଶୁଭୁ ନାହିଁ କି ।ପଦ। ହେଲ କି ବିଧିର ହୋଇ ଏଡ଼େ ଧୀର ଭାଙ୍ଗ ଧାତୁର ଖାଇ କି ।୧। ବଞ୍ଚିଥିଲେ ପ୍ରଜା ହେବ ତୁମ୍ଭେ ରାଜା ସାଜିବ ସିନା ମହୀକି ।୨। ହେଲେ ଭକ୍ତ ହତ ଆହେ ଭୂତନାଥ, କି ଖ୍ୟାତି ଲାଭ ତହିଁକି ।୩। ଫିଟାଇଣ ନେତ୍ର ଅନାଅ ତ୍ରିନେତ୍ର ଉଦ୍ଧରି ଧର ବଇକି ।୪।

(ଗିରିବାସୀଙ୍କ ପ୍ରତି ରୁଦ୍ରଙ୍କର ଆଦେଶ)

[ଗୀତ : ଆଏ ଗୋ ବାଜାଏ ବାଂଶୀ – ବୃତ୍ତେ]

ଯାଅ ଯାଅ ହେ ଗିରିବାସୀ, ନିଜ ନିଜ ବାସେ । ଏହିକ୍ଷଣି ଯିବି ମୁହିଁ ଇନ୍ଦ୍ରସୁତ ପାଶେ ।ପଦ। ସହି ସବୁ କଷଣ ତପ–କରେ ଅର୍ଜୁନ, ଓଁ ନମଃ ଶିବାୟ ବୋଲି ମୋର ନାମ ଘୋଷେ ।୧। ଫଳମୂଳ ତେଜିଣ ପତ୍ର କଲା ଭକ୍ଷଣ, ତେଜି ଜଳବାୟୁ ପାନ କରୁଛି ଶେଷେ ।୨। ଏକା ଅଙ୍ଗୁଷ୍ଠିଭାର ଦେଇ ମହୀ ଉପର । ଊର୍ଦ୍ଧବାହୁ ହୋଇ ଚାହିଁଛି ସେ ଆକାଶେ ।୩। ମାୟା ରଚିବି ମୁହିଁ ସର୍ବେ ଯାଅ ପଳାଇ ବଇଷ୍ଣବ କହି ଯିବି କିରାତବେଶେ ।୪।

(ମାୟାବରାହ ପଛେ କିରାତବେଶୀ ଶିବ କିରାତିନୀଗଣସହ ଧାବତି ।

ବରାହପ୍ରତି ଅର୍ଜୁନର ବାଣନିକ୍ଷେପ ଓ ଶିବଙ୍କର ଗୀତ)

(ଜୟ ପ୍ରତାପୀ ମତ୍ସ୍ୟ–ନରେଶ – ବୃତ୍ତେ)

ତିହି କର ରେ ଏ ଧନୁର୍ଦ୍ଧାରି, ରହ ରେ । କେଭେ ନ ମାର ନ ମାର ମୋ ବିରାହରେ ।ପଦ। ଏ ବିର୍‌ହା ପରା ମୁଁ ଦୂରୁ ଆଣିଲି ଗୋଡ଼ାଇ; ମୋ ଶିକାରଗୋଟି କିପାଁ ନେଉତୁ ଛଡ଼ାଇ ? କାହୁଁ ଆସିଲୁ ଚଣ୍ଡାଳ କହରେ ।୧। ଏ ବନପର୍ବତେ ମୁହିଁ ଅଟେ ଅଧିକାରୀ; ଡାକୁ ଡାକୁ କିପାଁ ବାଣ ବିନ୍ଧୁ ନ ବିଚାରି । ମୋର ଶରେ ଏ ଛାଡ଼ିଲା ଦେହ ରେ ।୨। ନ ଜାଣୁ ପାମର ତୋର ସାହାସ ରେ ଏତେ; ଏହିକ୍ଷଣି ଯମପୁର ପଠାଇବି ତୋତେ । ପ୍ରାଣ ମମତା ଥିଲେ ପଳାଅ ରେ ।୩। କାଳସର୍ପବିଳେ କିପାଁ ପୂରାଇଲୁ କର । ପଥର ପକାଇ ଦେଖାଇଲୁ ନିଜ ଶିର । ବଇ ଭଣି ନ ରହିବ ଥୟ ରେ ।୪।

(ଶିବ ଓ ଅର୍ଜୁନର ଦାୟିକା ଗୀତ)

[ଶୁଣ ଲୋ ସୁନୀତି – ବୃତ୍ତେ]

ଅର୍ଜୁନ

-

ଶୁଣ ରେ ଶବରା ବଧିଛି ଏ ବାର୍‌ହା ନ କହ ରେ ଚଢି ଚଢି; ଶିନାମ ମୁହିଁ ଜପୁଥିଲି ଏଥି ମୋ ପରେ ଆସନ୍ତେ ଚଢି । ମୁହିଁ ଛାଡ଼ିଲି ବାଣ । ସେହି ବାଣେ ତେଜିଲା ପରାଣ ।୧।

ଶିବ

-

ତୋ ଶର ମାରିଲା କାଳେ ରେ ପାମର, ମାରିଲି ମୁଁ ଦୂରୁ ଶର । ଆରେ ରେ ପାଷାଣ୍ଡ ବେଗେ ମୋର କାଣ୍ଡ ପଡ଼ିଲା ଶୂକରପର ରେ । ଜୀବ ଗଲା ବାହାରି । ମଲା ବରାହ ଗର୍ଜନ କରି ।୨।

ଅର୍ଜୁନ

-

ଜାଣିଥାଅ ବ୍ୟାଧ, ତୋ କରମ ମନ୍ଦ ବଧ ହେବୁ ମୋର କରେ । ଭୁଜଙ୍ଗ ଆଗରେ ମିଳିଅଛୁ ବେଙ୍ଗ ଅଗ୍ନି ନ ଦଳ ପାଦରେ । ରଙ୍ଗ ରହିବ ନାହିଁ । ଢଙ୍ଗ ଦେଖାଉ ନିଶାଦ ହୋଇ ରେ ।୩।

ଶିବ

-

ଭଣ୍ଡ ତପଚାରୀ ମୁଣ୍ଡକୁ ତୋହରି ଛିଣ୍ଡାଇବି ଚାହୁଁ ଚାହୁଁ । ତୋ ସମାନ ଗଣ୍ଡା ଗଣ୍ଡା ବଧ କଲେ ଅଧର୍ମ ନୋହିବ ଆଉ । ଧରି ତପସ୍ୱୀ–ଦଣ୍ଡ । କିପାଁ ବିନାଶୁ ପଶୁ ପାଷାଣ୍ଡ ।୪।

ଅର୍ଜୁନ

-

ଘେନି ନାରୀଗଣେ ବୁଲୁଥିଲେ ବଣେ ଏଣେ ଆସିଅଛୁଁ ଧାଇଁ । ଆଶା ଥିଲେ ପ୍ରାଣେ ପଳାଅ ଏକ୍ଷଣେ ରଣେ ନାଶଯିବୁ ତୁହି । ଏହୁ ହୋଇବେ ରାଣ୍ଡ । ମହୀପରେ କୋଡୁଥିବେ ମୁଣ୍ଡ ।୫।

ଶିବ

-

ଏଡ଼େ ଯେବେ ଯୋଦ୍ଧା ରଣରଙ୍ଗେ ମେଧା ବଣେ କିପାଁ ଲୁଚିଅଛୁ । ଶାଣଦିଆ ବାଣ ଅଛି ଯେବେ ତୂଣେ ତାହା କିପାଁ ନ କାଢୁଛୁ ରେ । ଆଜି ଜଣାପଡ଼ିବ । ଗୀତ ଭଣେ ଦୀନ ବଇଷ୍ଣବ ।୬।

ଅର୍ଜୁନ

-

ସମ୍ଭାଳ ସମ୍ଭାଳ ଶର ଆରେରେ ବର୍ବର !

ଶିବ

-

କି ଦେଖାଉ ରେ ତପସ୍ୱୀ, ଯେତେ ଅଛି ମାର ।

ଅର୍ଜୁନ

-

ଦେଖେ ଏ ଅନଳବାଣେ ଗଲା ତୋର ପ୍ରାଣ ।

ଶିବ

-

କି ଦେଖାଉ ରେ ତପସ୍ୱୀ, ଯେତେ ଅଛି ମାର ।

ଅର୍ଜୁନ

-

ଦେଖ ଏ ଅନଳବାଣେ ଗଲା ତୋର ପ୍ରାଣ ।

ଶିବ

-

ଦେଖ ବରୁଣାସ୍ତ୍ରେ ତାହା କଲି ନିବାରଣ ।

ଅର୍ଜୁନ

-

ବାୟବସ୍ତ୍ର ୟାର ନାମ ଅଟେ ରେ ନିଶାଦ !

ଶିବ

-

ତୋତେ ବଡ଼ ସେହୁ, ମୋର ନାହିଁ ତିଳେ ଖେଦ ।

ଅର୍ଜୁନ

-

ଅସ୍ତ୍ର ବ୍ୟର୍ଥ ହେଲା ଏବେ ହେଉ ମଲ୍ଲଯୁଦ୍ଧ ।

ଶିବ

-

ଆସିଥିଲେ ପାଶକୁ ମୋ, ଆସ ରେ ଅବୋଧ !

ଅର୍ଜୁନ

-

ପାଷାଣ ବୃଷ୍ଟି କିରଣ ନେବି ତୋ ପରାଣ ।

ଶିବ

-

ଶିଳା ଚୂର୍ଣ୍ଣ ହେଲା, ସମ୍ଭାଳ ଏ ମୃଷ୍ଟ୍ୟାଘାତ ।

ଅର୍ଜୁନ

-

ଶିବପୂଜା କରେ ଦଣ୍ଡେ, ରହ ରେ କିରାତ !

(ଶିବଙ୍କପରେ ଫୁଲ ଦିଅନ୍ତେ କିରାତ ଶିରେ ଫୁଲ ଦେଖି ଅର୍ଜୁନର ଗୀତ)

[ଯେଉଁ ହରି ହରି ପକାଉଛୁ ହୁରି – ବୃତ୍ତେ]

 

କ୍ଷମାକର ହର ଅପରାଧ ମୋର ନ ଜାଣି ମୁଁ କଲି ଦୋଷ, ଜୟ ମହେଶ ! ଦାସ ଜନଠାରେ ଦଣ୍ଡକୁ ବିହିଲେ ଲଭିବ କେବଣ ଯଶ, ଜୟ ମହେଶ । ଶିବ ନାମ ବହି ଅଶିବ କିପାଇଁ ନାଶିବ କି ଦୀନଜନେ, ଜୟ ରୁଦ୍ରେ । କାମ୍ୟବନେ ମୁହିଁ ଛାଡ଼ି ଚାରିଭାଇ ଆସିଲି ତବ ପୂଜନେ, ଜୟ ରୁଦ୍ରେ । ଗାଣ୍ଡିବ ଗାଣ୍ଡିବୀ କରୁ ଛଡ଼ାଇବ ଏମନ୍ତ କହା ଶକତି, ଜୟ ରୁଦ୍ରେ । କିବା ସହସ୍ରାକ୍ଷ କିବା ଚତୁର୍ମୁଖ ଯୋଗ୍ୟ ତୁହି ପଶୁପତି ।ଜୟ ରୁଦ୍ରେ।

 

(ଶିବଙ୍କ ଉତ୍ତର)

 

ତୋର ତପେ ତୋଷ ହେଲି କୁନ୍ତୀଶିଷ ମାଗି ଘେନ ଇଚ୍ଛାବର ବୀରବର ! ତୋର ସମ ଯୋଦ୍ଧା ନୋହିଲେ କେ ହର ସଙ୍ଗେ କରନ୍ତା ସମର ବାରବର ।୪।

 

ଅର୍ଜୁନ – ଯେବେ ଆଜ୍ଞା ହେଲା ଅକ୍ଷୟ ତୋମର ପଶୁପତ ଶର ଦେବ ।ମହାଦେବ। ପାଦେ ପଡ଼ି କରଯୋଡ଼ି ଜଣାଉଛି ଭାରତଯୁଦ୍ଧକୁ ଯିବ ।ମହାଦେବ।୫। ଭୀଷ୍ମ ଦ୍ରୋଣ କର୍ଣ୍ଣ ମହା ରଥୀ ବିପକ୍ଷ ପକ୍ଷେ ଅଛନ୍ତି ।ମହାଦେବ। କହେ ବଇଷ୍ଣବ ଜିଣିବି ତାହାଙ୍କୁ ତୋ କୃପାରୁ ପଶୁପତି-।ମହାଦେବ।୬।

 

(ଶିବଙ୍କର ଅର୍ଜୁନକୁ ପାଶୁପତଦାନ ଗୀତ)

[ଗୋକୁଳନନ୍ଦ ଚନ୍ଦ୍ରଙ୍କୁ – ବୃତ୍ତେ]

ଘେନ ଘେନ ଇନ୍ଦ୍ରସୁତ, ଏହି ଅସ୍ତ୍ର ପାଶୁପତ । ଏ ଅସ୍ତ୍ର ଅଙ୍ଗରୁ ଅସ୍ତ୍ର ଜାତ ହେବ ଶତ ଶତ ।ପଦ। ଏ ଥିଲେତୂଣୀରେ ତୋର, ଇନ୍ଦ୍ର ଚନ୍ଦ୍ର ଦିବାକର, ନ ଥିବ କାହାକୁ ଡର ରଣେ ହାରିବ କୃତାନ୍ତ ।୧। ବିନା କାରଣେ ପେଷିଲେ, ସୃଷ୍ଟିନାଶ ଯିବ ଭଲେ । ସୁତଳ ପାତାଳ ତଳାତଳ ଦହିବ ଏ ସାତ ।୨। ଆଦ୍ୟେ ବସେ ଆଦ୍ୟାଶକ୍ତି, ମଧ୍ୟେ ବିଜେ ଶୂଳପତି । ଅଗ୍ରେ ଅଗ୍ନି ଅବସ୍ଥିତ ତେଜ ସହସ୍ରଆଦିତ୍ୟ ।୩। ପୃଥିବୀ ସଂହାର ପାଇଁ, ଏହା ରଖିଅଛି ମୁହିଁ । ବଇଷ୍ଣବ ବୋଲେ ନିଅ ଦିବ୍ୟଚକ୍ଷୁ ଅସ୍ତ୍ର–ମନ୍ତ୍ର ।୪।

(ଯମ ଇନ୍ଦ୍ର ବରୁଣ କୁବେର କୁବେରଙ୍କର ପ୍ରବେଶ)

[ଗୀତ ଆଜ୍ଞାଦିଅ ଭୋଜରାଜ – ବୃତ୍ତେ]

ନିଅ ତୃତୀୟ – ପାଣ୍ଡବ ଏହି ଦଣ୍ଡ ଅସ୍ତ୍ର ମୋର । ନାମ ମୋର ଯମ ମୁହିଁ କରଇ ଜୀବ ସଂହାର । ପଦ । ମୋର ଏ ଦଣ୍ଡ ମହିମା, କହିପାରେ ବେଦବ୍ରହ୍ମା । ଏହି ଅସ୍ତ୍ରେ ଭାରତରେ ମରିବ ସେ କର୍ଣ୍ଣ ବୀର ।୧। ଘେନ ଏ ବରୁଣପାଶ, ଏ ବଳେ ଶତ୍ରୁ ବିନାଶ । ନାମ ମୋ ବରୁଣ ଜାଣ ପଶ୍ଚିମେ ମୋ ଅଧିକାର ।୨। ଚିହ୍ନ ମୁହିଁ ଧନପତି, ଉତ୍ତରଦିଗେ ବସତି । ଘେନ ଅନ୍ତର୍ଦ୍ଧାନ ଅସ୍ତ୍ର ଶୀଘ୍ର ଦେବକାର୍ଯ୍ୟ କର ।୩। ତୋହ ଯୋଗେ ସୁରଲୋକ, ହୋଇବ ରେ ଅକଣ୍ଟକ । ବଇଷ୍ଣବ ଭଣେ ମନ୍ତ୍ରସାଧନେ ଜିଣ ତ୍ରିପୁର ।୪।

(ଦେବଗଣଙ୍କ ପ୍ରସ୍ଥାନ)

ଶୂନ୍ୟବାଣୀ – ଦଣ୍ଡେ ରହ ପାର୍ଥ, ପଠାଉଛି ରଥ; ଆସିବୁ ତୁରିତ ମାଳତି ସହିତ, ଶୁଭେ ହେଲେ ଉପଗତ ପାଇବୁରେ ଅସ୍ତ୍ର ।

(ମାଳତି ରଥ ଘେନି ପ୍ରବେଶ)

[ମେଲାଣି କର ରେ – ବୃତ୍ତେ]

ପୋଷିଛନ୍ତି ସୁନାସୀର ରଥେ ବସ ବୀରବର । ଘେନିଯିବି ସୁରପୁର ବିଳମ୍ୱ ତିଳେ ନ କର ।ପଦ। ଅନାଇଛନ୍ତି ଅମର ଅନୁସରି ପଥ ତୋର । ଅଟୁ ଦେବ ଅବତାର ଆନନ୍ଦେ ତହିଁ ବିହର-।୧। ମାଳତୀ ବୋଲେ ବିଜୟୀ । ରଥେ ବିଜେ କଲା ଯାଇଁ । ଶୂନେ ଚଳେ ଦେବରଥ ଶବଦ କରି ପ୍ରଖର ।୨। କହ ସୁତ କି ଅଦ୍ଭୁତ । ଅକାଳେ କି ଉଲ୍‌କାପାତ । ଦକ୍ଷିଣେ କି ଜନରବ ଶୁଭୁଅଛି ହାହାକାର ।୩। କରେ ଧରି ଯମ ଦଣ୍ଡ । ପାପୀଙ୍କି ଦିଅନ୍ତି ଦଣ୍ଡ । ନରକରେ ପଡ଼ି ପାପୀ କରନ୍ତି ଘୋର ଚିତ୍କାର ।୪। ଦେଖ ଯାଗ–ଯଜ୍ଞ ଦାନ, କରିଛନ୍ତି ଯେତେ ଜନ । ବଇଷ୍ଣବ ବୋଲେ ପାଶେ ଖଟନ୍ତି ବିଷ୍ଣୁକିଙ୍କର ।୫।

(ପ୍ରସ୍ଥାନ)

(ଇନ୍ଦ୍ରସଭା – ଇନ୍ଦ୍ର ବୃହସ୍ପତିସହ ପ୍ରବେଶ – ଗୀତ)

[କାଳ ହୋଇଲେ ଗୋକୁଳ – ବୃତ୍ତେ]

ଆହା କି ଶୋଭା ହେ ମନ୍ତ୍ରୀ ଦିଶେ ରାଜସଭା ।ପଦ। ରାଜେରାଜ ସିଂହାସନ ଟେକା ଶ୍ୱେତ ଛତ୍ରମାନ; ପଡ଼ିଲେ ଜନ ନୟନେ ମନ ହୁଏ ଲେଭା ।୧। ବିରଜନ୍ତି ଚନ୍ଦ୍ର ସୂର୍ଯ୍ୟ, ପ୍ରଖର ଯାହାଙ୍କର ତେଜ, ଅଗ୍ନି ଅନିଳ ବରୁଣ ପ୍ରକାଶନ୍ତି ପ୍ରଭା ।୨। ଦେଖ ଚନ୍ଦ୍ରାତପ ତଳେ, ରତ୍ନ ଦୀପାବଳୀ ଜଳେ । ସିଂହଦ୍ୱାରେ ଦ୍ୱାରୀଗଣେ ହୋଇଛନ୍ତି ଉଭା ।୩। ପାରିଜାତ ଫୁଲହାର, ଖମ୍ୱେ ଲମ୍ୱେ କି ସୁନ୍ଦର । ବଇଷ୍ଣବ ବୋଲେ କେଉଁ କଥା ନାହିଁ ଅବା ।୪।

 

(ବେଶ୍ୟାଗଣଙ୍କ ନୃତ୍ୟ – ଗୀତ)

[ଫାଙ୍କିଦିଅ ପ୍ରାନେର ପାକ୍ଷୀ – ବୃତ୍ତେ]

 

କି ସୁନ୍ଦର ଚନ୍ଦ୍ରନିଶା ହୋଇଛି ଗୋ ପ୍ରାଣସଙ୍ଗାତ, ଗାଅ ଗୋ ଗୀତ । ରାବେ ପିକ ଭାବେ ଭୁଲି ମୋହିନିଏ ଯୁବାଙ୍କ ଚିତ୍ତ ।ପଦ। ଜଳେ ରାଜହଂସ ଭାସେ, ହଂସୀ ସହ ରଙ୍ଗରସେ । ଗିରିଶିଖେ କେକୀ ଡାକେ ବହଇ ଦକ୍ଷିଣା ବାତ ।୧। ଚନ୍ଦ୍ରକୁ ଦେଖି କୁମୁଦ, ହେଉଅଛି କି ଆନନ୍ଦ । ପୁଣି ଜଳେ ଦୋହଲଇ କାନ୍ତା କି ଲଭିଲା କାନ୍ତ ।୨। ନାଗରୀ ନାଗର ମେଳ, ଏକାଳେ ଏକା ସଫଳ । ଆଉ ସକଳ ବିଫଳ ବଇଷ୍ଣବର ରଚିତ ।୩।

 

(ଅର୍ଜୁନ ମାଳତିସହ ପ୍ରବେଶ; ଇନ୍ଦ୍ରର ଗୀତ)

[ବସନ୍ତ କାଳରେ ଏକି ପ୍ରମାଦ – ବୃତ୍ତେ]

 

ଆସ ଫାଲଗୁନି ଥରେ ମୋ କୋଳକୁ ଆସ ରେ । ତୁ ଅଙ୍କେ ବସିଲେ ଧନ ମନ ହେବ ତୋଷ ରେ ।ପଦ। ଯେସନେ ଚନ୍ଦ୍ରେ ଚକୋର କରିଥାଏ ଆଶରେ,ତା କିରଣ-ସୁଧାପାନେ ହୁଅଇ ସନ୍ତୋଷ ରେ ।୧। ସେହିପରି ଅନାଇ ରହିଛି ନିଶିବାସରେ, ଏତେକାଳେ ସଫଳ ହୋଇଲା ମୋ ମନସ ରେ ।୨। ଏବେ ସ୍ୱର୍ଗ–ଶିରୀ ଭୋଗକର ଯା ହରଷରେ; ନାନା ଅସ୍ତ୍ର ଶିଖି କ୍ଷିତି ପରେ ରଖ ଯଶ ରେ ।୩। ଏଥି କାମକ୍ରୋଧ ମାୟା ମୋହ ନାହିଁ ଲେଶ ରେ ଦୂର ହେବ ଶୋକଦୁଃଖ ବଇଷ୍ଣବ ଭାଷ ରେ ।୪।

 

ବେଶ୍ୟାଗଣଙ୍କ ଗୀତ

(ରସିକା ଜଣେ ଏ କି ଏହି – ବୃତ୍ତେ)

 

ଅନା ଅନା ଗୋ ମେନକା, ଏହି କାହାର ଜୀବ ଜୀବିକା, ଏକାବେଳେ ସିଂହାସନେ ଦୁଇ ଇନ୍ଦ୍ର ଏ ନୟନେ ଗଲା ଦେଖା ।ପଦ। ଗୁନ୍ଥି ପାରିଜାତ ସୁମନେ, ପିନ୍ଧାଇବା ଚାଲ ସୁମନେ; ଅମର ଭୁବନେ ଭୁଲିବେ ସୁରନାୟିକା ।୧। ନିରେଖିଲେ ଏହା ମୂରତି; ନ ରହିବ ପତିବରତୀ । ବଶ ହେବ ପ୍ରୀତି ତେଜି ନିଜ ପତି ବରତି ନ ଯିବେ ଏକା ।୨। ଅଧରପାନେ ରସନା, କହୁଥିବ ଆନେ ରସ ନା-। ସୁଧା ବରଷ ନା ବୋଲି ନିନ୍ଦୁଥିବ ନ ଥିବ କାହିଁରେ ଦକା ।୩। ଯେହୁ ଧରିଥିବ ୟା କର, ଆମ୍ଭେ ତାର ହେବା କିଙ୍କର । ବଇଷ୍ଣବ ବୋଲେ ନିକର ହୋଇବି ମୁଁ ତାର ଚରଣେ ବିକା ।୪।

 

(ଇନ୍ଦ୍ର ଓ ଅର୍ଜୁନକୁ ଉର୍ବଶୀ ଚାହାନ୍ତେ ଇନ୍ଦ୍ର ଜାଣି ସଭାଭଙ୍ଗ ଓ

ଦ୍ୱାରୀକୁ ଉର୍ବଶୀଠାକୁ ପଠାଇବା ଦ୍ୱାରୀ ଗୀତ)

[ଯା ଗୋ ସଜନୀ କୁଞ୍ଜବନେ – ବୃତ୍ତେ]

 

ଆସ ଗୋ ଉର୍ବଶୀ ଆସ ଆସ । ପୋଷିଛନ୍ତି ସୁରପତି ଯିବାକୁ ଅର୍ଜୁନ ପାଶ ।ପଦ। ଆଜି ନୃତ୍ୟଗୀତ କାଳେ, ତେରିଛି ଚାହିଁଲା ପାର୍ଥ ବସିଥିଲା ଇନ୍ଦ୍ରକୋଳେ ।୧। ଜାଣିପାରି ମନ ତାର, କହିଛନ୍ତି ତାର ସହ ଯାଇ ରସରଙ୍ଗ କର ।୨। ପ୍ରୀତିରେ ମାତିବୁ ଗୋରୀ ପୁହାଇବୁ ରାତି, ଭୀତ ନ କରି ଚିତ୍ତେ ତୋହରି ।୩। ଶୁଣି ବାଣୀ ହସ ହସ ବଇଷ୍ଣବ ଭଣି ଏଣୀନୟନୀ ସାଜିଲା ବେଶ ।

 

(ଉର୍ବଶୀର ବେଶ – ଗୀତ)

[କେଣେ ଅଛୁ ଶୁଣା ତୋ-ବୃତ୍ତେ]

 

ରଖିଣ ଦର୍ପଣ; ଆଗେ ଝାଡ଼ିଦେଲା ତାର ଘନକେଶକୁ । କୁଣ୍ଡାଇଲା ବେଣୀ ସଜାଡ଼ିଲା ପୁଣି ଲମ୍ୱିଅଛି ଜଟ ପୃଷ୍ଠ ଦେଶକୁ ।ପଦ। କିଆ ପତ୍ରି କଣ୍ଟା ଫୁଲ ଗୋଟା ଗୋଟା ସଧୀରେ ଖଞ୍ଜିଲା କେଶ ଶେଷକୁ । ନୟନରେ କଳାଲାଞ୍ଜି ଦେଲା ରଞ୍ଜି ହୃଦେ ଲିପିଲା ସେ ଘନ ରସକୁ । ନବରତ୍ନ ହାର ଲମ୍ୱାଇ ତା’ପର କୁଞ୍ଚି ପିନ୍ଧିଲା ତା ଝୀନବାସକୁ । କଟିର କିଙ୍କିଣି କିଣିକିଣି ନାଦେ ଛିଣ୍ଡାଇବ ଯୁବା ଧୈର୍ଯ୍ୟ–ଫାଶକୁ । କରରେ କଙ୍କଣ ପିନ୍ଧିଲା ତକ୍ଷଣ ପଇଞ୍ଚି ଘେନିଲା ତାହା ଶେଷକୁ । ପାଦର ପଞ୍ଜଳି ଘଷିଣ ରଞ୍ଜଳି ତା’ପରେ ଦେଲା ଯେ ଲାକ୍ଷାରସକୁ । ଶେଷେ ଚନ୍ଦ୍ରହାର ଲମ୍ୱାଇ କମର ଭୁଞ୍ଜିଲା ସରସେ ମୁଖବାସକୁ । ବଇଷ୍ଣବ ଭାଷା ଚଳିଯାଏ ଯୋଷା ହଟାଇବ ମନରଥ–ଦଶାକୁ ।

 

(ଅର୍ଜୁନ ପାଶେ ଉର୍ବଶୀ ପ୍ରବଶନ୍ତି ଅର୍ଜୁନ – ଗୀତ)

[ଏମନ୍ତ ଦିନ କି ହବେ ମାତାରା - ବୃତ୍ତେ]

 

ଅକସ୍ମାତ ଏ କି ଦୁର୍ଦ୍ଦଶା; ଆଜି ନିଶିରେ କିପାଁ ମୋ ପାଶେ ଆସିଲା ଉର୍ବଶୀ ବେଶ୍ୟା ।ପଦ। କିବା ମୋତେ ଦେଖାଇଦେବେ, କିବା କେଉଁ ଦିଗେ ଯିବ । କିଗୋ ମୋ ମନ ବିଡ଼ିବ କରାଇବ ଲୋକହସା ।୧। ଯା’ର ବଚନ ଚାତୁରୀ, ଯତି ହୃଦୟ କାତୁରି । ଯିବ କେ ତହୁଁ ଉତୁରି ହେଜ ଜନମି ଏ ଆଶା ।୨। ନଚାଇ ଦେଲେ ଭ୍ରୁଲତା, ଭୁଲିଯିବେ ଉର୍ଦ୍ଧ୍ୱରେତା । ହୋଇଯିବେ ହତଚେତା ତେଜି କଠୋର ତପସ୍ୟା ।୩। ବାରେ ହେ ପାଣ୍ଡବସଖା, ଏ ସଙ୍କଟୁ କର ରକ୍ଷା । ବଇଷ୍ଣବ ବୋଲେ ହରି ଅଟୁ ମୋହର ଭରସା ।୪।

 

(ଉର୍ବଶୀର ଅର୍ଜୁନପ୍ରତି – ଗୀତ)

[ମୋତେ ଯାହା କଲା ସେ ନାଗର- ବୃତ୍ତେ]

 

ଆସ ଆସ ରସିକ ନାଗର; ରସରଙ୍ଗ କର ମୋ ସଙ୍ଗର ।ପଦ। ସୁଧାକର ପରି ମୋର ମୁଖ, ବାରେ ତହିଁରୁ ଅମିୟ ଚାଖ । ଖଣ୍ଡ ପୂରିଛି ଗଣ୍ଡଯୁଗର ।୧। ପୁଣି ମୃଣାଳଦଣ୍ଡ ସମାନ, ମୋର ବାହୁବେନି ଶୋଭାବନ । ତୋର ଗଳେ ନେଇ କର ହାର ।୨। ବାରେ ନୟନ ପୂରାଇ ଦେଖ, ମୋର ଅଙ୍ଗ ଶୋଭାକୁ ନିରେଖ । ଦେଖି ମୁଗ୍‌ଧ ହେବ ଯୋଗିନର ।୩। ଆସିଅଛି କରି ବଡ଼ ଆଶ, ଆଉ ନ କର ମୋତେ ନିରାଶ । ବଇ ଭଣି ହୁଅ ଉଜାଗର ।୪।

 

(ଅର୍ଜୁନ ଉର୍ବଶୀର ଚଢାଉତ୍ତାର – ଗୀତ)

[ଯେବେ ହରିମଝା ଅବୁଝା ହୋଇଲୁ – ବୃତ୍ତେ]

 

ଅର୍ଜୁନ

-

ଏ ନିଷ୍ଠୁର କଥା ନ କହ ଗୋ ମାତା, ଶୁଣିଲେ ହୁଅଇ ପାପ । କୁମରକୁ କୃପା କରି ଫେରିଯାଅ ଦିଅ ନାହିଁ ମନସ୍ତାପ । ଜନନୀ ଗୋ । ବୃଥା ହେବ ଜପତପ ।୧।

ଉର୍ବଶୀ

-

କିପାଇଁ ଏ ବାଣୀ ଭାଷୁ ବୀରମଣି ବୃଥା ଚିତ୍ତେ ଭୟ କରୁ । ମର୍ତ୍ତ୍ୟଲୋକେ ଏତେ ପ୍ରେମ ନ ପାଇବୁ କି ତପସ୍ୟାରୁ । ନାଗର ରେ । କି ଘେନି ଯିବୁ ସଂସାରୁ ।୨।

ଅର୍ଜୁନ

-

ତୁମ୍ଭେ ଦେବକନ୍ୟା ତ୍ରିଭୁବନେ ଧନ୍ୟା ମୁହିଁ ସ୍ୱଭାବ ମାନର । ଯାହା ପାଇଁ ଯାହା ବିହି ଭିଆଇଛି କାହା ଧନ କିଏ ନେବ । ଜନନୀ ରେ । କାଛ କି କାଞ୍ଚନ ହେବ ।୩।

ଉର୍ବଶୀ

-

ପଠାଇଲେ ଇନ୍ଦ୍ର ହେ ରସିକଚନ୍ଦ୍ର ତବ ମନୋଭାବ ଜାଣି । ବସି ନୃତ୍ୟକାଳେ ଥାଇଁ ଇନ୍ଦ୍ରକୋଳେ ଅନାଇଲ ବୀରମଣି । ରସିକ ହେ । ବାରବାର ମୋତେ ପୁଣି ।୪।

ଅର୍ଜୁନ

-

ମୋର ମନକଥା ନ ଜାଣନ୍ତି ପିତା ଅଟ ତୁମ୍ଭେ ମାତାମାହୀ । ତୁମ୍ଭଠାରୁ ପୁରୁବଂଶ ଅବତଂସ ହୋଇ କ୍ରମେ ନାଶପାଇ । ଜନନୀ ଗୋ । ଅଛ ଦିବ୍ୟତନୁ ବହି ।୫। କିବା କୁନ୍ତୀ ମାଦ୍ରୀ ଶଚୀଦେବୀ ଆଦି ତାଙ୍କଠାରୁ ତୁମ୍ଭେ ଶ୍ରେଷ୍ଠ । ବେଗେ ଫେରିଯାଅ ଆଶା ନ ବଳାଅ ଦିଅନା ମୋ ମନେ କଷ୍ଟ । ଜନନୀ ଗୋ । ମୋ ପରେ ନ ହୁଅ ରୁଷ୍ଟ ।୬।

ଉର୍ବଶୀ

-

ଯେ ପୁରୁଷଠାରେ ନାରୀ ଆଶ କରେ ପ୍ରେମ ଲୋଭ ଲାଭପାଇଁ ତାର ମନସାଧ ପୂର୍ଣ୍ଣ ନ କରିଲେ ନପୁଂସକ ହୁଏ ସେହି । ଅର୍ଜୁନ ରେ । ଘେନ ଅଭିଶାପ ତୁହି ।୭। କରି ବହୁ ଆଶା ହୋଇ ବେଶଭୂଷା ଆସିଥିଲି ତୋହ ପାଶ ନାରୀ ହୃଦଗୋଟି ଲବଣି ସମାନ ନ ଜାଣି କଲୁ ନିରାଶ । ଅର୍ଜୁନ ରେ । ତୋ ଇନ୍ଦ୍ରି ଖସୁ ଅବଶ୍ୟ ।୮। ନପୁଂସକ ହୋଇ ରହ ରେ ବିଜୟି ଯାଉଛି ମୁଁ ମୋର ଆଳେ ତୋପରି ରସିକ ଦେଖିନାହିଁ କାହିଁ ସ୍ୱର୍ଗ ମର୍ତ୍ତ୍ୟ ରସାତଳେ ଅର୍ଜୁନ ରେ । ବିପ୍ର ବଇଷ୍ଣବ ଭାଳେ ।୯।

 

 

(ଗତ ରାତ୍ର ବିଷୟ ଦ୍ୱାରୀଠାରୁ ଶୁଣି ପ୍ରଭାତେ ଇନ୍ଦ୍ରର ଅର୍ଜୁନକୁ ପ୍ରସଂଶା ଗୀତ)

[କି କହିବି ପୁତନା ମୋ – ବୃତ୍ତେ]

ଧନ୍ୟ ରେ ଅର୍ଜୁନ ବୀର ତୋ ଜୀବନ ଧନ୍ୟ ରେ । ଧନ୍ୟ ତୋର ମାତା କୁନ୍ତୀ କରିଥିଲା ଜନ୍ମ ରେ ।୧। ଜାଣିଲି ଭାରତେ ତୁହି ଗୌରବମିହିର ରେ । ଉଦୟ ହୋଇଛୁ ଅନ୍ଧକାର କରି ଦୂର ରେ ।୨। ଅଭିଶାପ ପାଇଁ ବତ୍ସ ଚିନ୍ତା କର ନାହିଁ ରେ । ଜାଣିଥାଅ କାଳେ ଉପକାର ହେବ ସେହି ରେ ।୩। ଗୁପ୍ତ ବନବାସ ଶେଷେ ଅଜ୍ଞାତ ପଡ଼ିବ ରେ । ତେରମାସ ତେରଦିନ ତୋ ଇନ୍ଦ୍ରି ଝଡ଼ିବ ରେ ।୪। ଛଦ୍ମବେଶେ ରହି କାଳ ଦେବୁ ତୁ କଟାଇ ରେ । ବଇଷ୍ଣବ ବୋଲେ ବିଷ୍ଣୁ ଚିନ୍ତ ତୁ ବିଜୟୀ ରେ ।୫।

(ଏହି କାଳେ ଲୋମଶ ମୁନି ଇନ୍ଦ୍ରପାଶେ ପ୍ରବେଶ – ଗୀତ)

[ଜଣାପଡ଼ିଲା ରେ ବଣାମୃଗାକ୍ଷୀ – ବୃତ୍ତେ]

ଶୁଣ ସୁନାସୀର, ପାଣ୍ଡବ କୁଶଳ ବାଣୀ । କାମ୍ୟବନେ ରହିଛନ୍ତି ଚାରିଭାଇ ଘେନି ପାଞ୍ଚାଳଦୁଲଣୀ ।ପଦ। ରାଜା ଯୁଧିଷ୍ଠିର ଧର୍ମଙ୍କ କୁମର ନୃପତି ମଉଡ଼ମଣି । ନିତି ମନଖେଦ ନ ଥାଏ, ଆନନ୍ଦ ଅର୍ଜୁନର ଗୁଣ ଗୁଣି ।୧। ପବନନନ୍ଦନ ବୀର ଭୀମସେନ ମନେ ସେ କରେ ଭାଳେଣି-। ନିସ୍ତେଜ ଯେମନ୍ତ ହୁଏ ଅହିରାଜ ହଜିଯାଇଥିଲେ ମଣି ।୨। ମନ୍ତ୍ରୀ ସହଦେବ ଜାଣି ଶୁଭାଶୁଭ ନୀରବେ ଅଛଇ ପୁଣି । ନକୁଳ ବିକଳ କଳିବ କେ କହି ନୟନୁ ଝରଇ ପାଣି ।୩। ମୁକୁଳିତକେଶା କିବା ଦିବା–ନିଶା ନଖେ ଚିରଇ ଧରଣୀ । ଶିରୀଷଫୁଲ କି ଝାଉଁଳି ଯାଇଛି ବିପ୍ର ବଇଷ୍ଣବ ଭଣି ।୪।

(ଇନ୍ଦ୍ରର ଉତ୍ତର – ଗୀତ)

[ମହୀମଣ୍ଡନାକୁ କ୍ଳେଶଖଣ୍ଡନାକୁ – ବୃତ୍ତେ]

ଯାଅ ମୁନିବର ଲୋମଶପ୍ରବର ବିଜୟୀ ଖବର ଜଣାଇବ ।ପଦ। ରହି ଗିରିବର ପାଇ ହରବର ମୋ ପାଶେ ଥିବାର ଶୁଣାଇବ । ଭାଷି ବାରବାର ନୃପବର ହୃଦେ ଧୈର୍ଯ୍ୟରୂପ ବୀଜ ବୁଣାଇବ ॥ ତାଙ୍କୁ ସଙ୍ଗେ ନେଇ ନାନା ସ୍ଥାନେ ଯାଇ ଧର୍ମ ଉପାର୍ଜନ କରାଇବ । ବୋଲିବ ଭାରତ–ରଣେ ନିଶ୍ଚେ ପାର୍ଥ ଜୟଧ୍ୱଜା ବାରେ ଧରାଇବ ॥ ଭୀମ ମହାରଥା ଦୂର କରି ଚିନ୍ତା ନୟନୁ ନୀର ନ ଝରାଇବ । କହେ ବଇଷ୍ଣବ ବିଷ୍ଣୁକୃପା ହେଲେ ଛାର କୃତାନ୍ତ କି ଡରାଇବ ।।

(ମୁନିଙ୍କପ୍ରସ୍ଥାନ)

(ଦ୍ୱାରୀ ଇନ୍ଦ୍ରଙ୍କୁ ଜଣାଇବା – ଗୀତ)

[ତୁ ବା ବୋଲିବୁ ଭ୍ରମର – ବୃତ୍ତେ]

ଶୁଣ ଶୁଣ ବଜ୍ରଧର ! ପେଷିଲେ ଅର୍ଜୁନ ବୀର । ମର୍ତ୍ତ୍ୟକୁ ଯିବାକୁ ମନ ବଳିଲାଣି ତେଜି ଅମରନବର । ଯେ ॥ ସରବ ଶାସ୍ତ୍ରେ ପଣ୍ଡିତ । ହୋଇଛନ୍ତି ପଣ୍ଡୁସୁତ । ନାନା ଛଳବଳ ରଣକଉଶଳ ଆଦି କେତେ ନୃତ୍ୟ-ଗୀତ ଯେ ॥ ସଦା ମନେ ଦକଦକ । ଦେଖିବେ ଭାଇଙ୍କ ମୁଖ । ମୂକ ପରି ବସି ଭାବୁଛନ୍ତି ନିତି ନାହିଁ ତିଳେ ଶୋଷଭୋକ ଯେ ॥ ଆଜ୍ଞା ହେଲେ ଆଖଣ୍ଡକ ! କହିବି ଯାଇଁ ସକଳ । ବଇଷ୍ଣବ ହିତେ ଭାବି ଭାଷେ ଗୀତେ ବଳିଯାଉଅଛି ବେଳ ଯେ ॥

(ଇନ୍ଦ୍ରାଦେଶେ ମାତଳି ଅର୍ଜୁନକୁ ସପ୍ତସ୍ୱର୍ଗ ଦେଖାଇବା)

[ଶ୍ରୀରାମ ବିରସ ନେତ୍ରେ ଦେଖି – ବୃତ୍ତେ]

ଦେଖେ ବୀରବର ସୁରଆଳ । ସ୍ୱର୍ଣ୍ଣ ଅଟ୍ଟାଳିକା ମାଳ ମାଳ । ପତାକା ଚିରାଳ ଚେଳଦେଶେ ଉଡ଼େ ବାଜେ କଂସାଳକନ୍ୟାକ । ବୀରବର ।୧। ଗଜଦନ୍ତର ଗବାକ୍ଷ ଦିଶେ । ଚନ୍ଦ୍ରକାନ୍ତମଣି ଚଉପାଶେ । ମରକତ ଖମ୍ୱ ଦଷକ ଲମ୍ୱ ଲମ୍ୱ ଛିଡ଼ା ହୋଇଛି ପ୍ରାଚୀରଦେଶେ ।୨। ଏହୁ ଅଶ୍ୱିନୀକୁମାର ପୁର । ଏ ମଣ୍ଡପେ ବିଜେ ଦିବାକର । ଦେଖ ମନ୍ଦାକିନୀ କି ରଙ୍ଗେ ବହୁଛି ସ୍ନାନ କରନ୍ତି ଅମର । ବୀରବର ।୩। ନିରେଖ ବିଜୟୀ ଏହା ତୀରେ । କନ୍ନରୀଙ୍କ ପୁର ଶୋଭାକରେ । ମନ୍ଦମନ୍ଦ ଗନ୍ଧ ସରିତ ବହଇ ପୂର୍ଣ୍ଣ ନୃତ୍ୟ–ଗୀତସ୍ୱରେ । ବୀରବର ।୪। ଦେଖ ନନ୍ଦନ–କାନନେ ବତ୍ସ । ଲକ୍ଷ ଲକ୍ଷ ପାରିଜାତ ଗଛ । ଅବସନ୍ତେ ଏଥେ ବସନ୍ତ ବହଇ ନାଚେ କେକୀ ଟେକି ପୁଚ୍ଛ ।୫। ଏହିପରି ସପ୍ତସ୍ୱର୍ଗ ଶୋଭା । କେତେ ବିଶ୍ୱାସୀ କହିବି ଅବା । ବଇଷ୍ଣବ ବୋଲେ ଦେଖିବି ମୁଁ ସତେ ନାହିଁ ଯହିଁ ରାତ୍ରଦିବା ।୬।

(ଅର୍ଜୁନ ସପ୍ତସ୍ୱର୍ଗ ଦେଖି ଗୀତ)

[ରଥ ରଖ ପଥେ ଦେଖୁ – ବୃତ୍ତେ]

କହ ହେ ସାରଥି ଏଥି ବାସ କରେ କେହୁ ? ସୁରପୁରଠାରୁ ପୁର ଦିଶେ ଦାଉ–ଦାଉ ।ପଦ। ସପ୍ତସ୍ୱର୍ଗ ଭ୍ରମିଲଇଁ । ଏହା ନ ଦେଖିଲି କାହିଁ । କିବା କେଉଁ ଦେବ ବଡ଼ ଅଛି ଇନ୍ଦ୍ର ତହୁଁ ।୧। ଶୁଣ ବାଣୀ ବୀରପାର୍ଥ । ନିବାତକବଚ ଦୈତ୍ୟ । ବାସ କରିଅଛି ତବ ପିତୃ ଅରି ସେହୁ ।୨। ବାରବାର ସୁରପୁର । ଭାଙ୍ଗି କଲା ଛାରଖାର । ଗରାସେ ଦେବଙ୍କୁ ଚନ୍ଦ୍ରେ ଗ୍ରାସେ ଯେହ୍ନେ ରାହୁ ।୩। ତାର ଡରେ ମାତା ଶଚୀ । ଭୃଗୁଋଷି ଘରେ ଅଛି । ବଇଷ୍ଣବ ଭାଷେ ବିନାଶିବ ଚାହୁଁଚାହୁଁ ।୪।

[କେ ରକ୍ଷା କରିବ ଆଜି – ବୃତ୍ତେ]

ଛାର ରକ୍ଷ ଭୟେ ମାତା ଋଷି ଗୃହେ କରେ ବାସ । ଜାଣଥାଅ ସୁତ ଦୈତ୍ୟ ନାଶିବି ମୁହିଁ ଅବଶ୍ୟ ।ପଦ। ଶରେ କାଟି ତାର ମୁଣ୍ଡ । କରିବଇଁ ଖଣ୍ଡ ଖଣ୍ଡ । ଭଣ୍ଡ ଦାନବ ବିନାଶେ ଧରଣୀ ହେବ ଉଶ୍ୱାସ ।୧। ଆଜି ରଣେ ଯକ୍ଷ ରକ୍ଷ । ଗନ୍ଧର୍ବ ହେଲେ ବିପକ୍ଷ । ନାଶ ହେବ ଲକ୍ଷ ଲକ୍ଷ ରକ୍ଷା ନ ପାଇବେ ଲେଶ ।୨। ଏ ଗାଣ୍ଡିବ ଶରାସନ । ଧରି ମୁଁ କରୁଛି ପଣ । ଥାଉଁ ପିଣ୍ଡେ ପ୍ରାଣ ରଣ ନ ତେଜିବ କୁନ୍ତୀଶିଷ ।୩। ବେଗେ ମୋ ପିତୃ-ଅରାତି । ଦେଖାଇ ଦିଅ ସାରଥି ! ବଇଷ୍ଣବ ଭାଷି ନାଶି ସଂସାରେ ରଖିବି ଯଶ ।୪।

(ଧନୁଟଙ୍କାର)

(ନିବାତକବଚ ଓ ତାର ସ୍ତ୍ରୀର ପ୍ରବେଶ)

ନିବାତ

ପ୍ରିୟେ ! ଏ କି ଅକସ୍ମାତ ଶବ୍ଦ ?

 

 

ଶୁଣି ଶ୍ରୁତି ହୋଇଲା ନିସ୍ତବ୍ଧ;

 

 

କା’ର ଏହି କର୍ମୁକ–ଟଙ୍କାର

 

 

ଅସ୍ତ୍ରର ଝଙ୍କାର

 

 

ଶୁଭେ ବୀର କାରବାର ?

 

 

ମୃତ୍ୟୁ କା’ର ହୋଇଲା ଅଗ୍ରସର

 

 

ରକ୍ଷଭକ୍ଷ୍ୟ ହେବ ବୋଲି ବଳାଇଲା ସାଧ ।

 

 

ଦେବ ନାଗ ଗନ୍ଧର୍ବ କିନ୍ନର

 

 

ନାମେ ଯା’ର କମ୍ପେ ବଜ୍ରଧର

 

 

ଏହୁ ନିବାତକବଚପୁର

 

 

କାହାରିକି ନାହିଁ ଅଗୋଚର ।

 

 

ବାରବାର ମୁହିଁ ସ୍ୱର୍ଗପୁର

 

 

ଭାଙ୍ଗି କରେ କଲି ନାରଖାର;

 

 

ସହସା କେ ମୋ ସହିତ ଚାହୁଁଅଛି ଯୁଦ୍ଧ,

 

 

ଅବା କା’ର ରକ୍ତମାଂସେ ହେବ ଆଜି ଶ୍ରାଦ୍ଧ ?

(ରାଣୀର ଗୀତ)

[କଂସ ଆଜ୍ଞା ପାଇ ବିରସେ – ବୃତ୍ତେ]

କିପାଁ ରଣେ ବଳାଇଛ ଚିତ୍ତ ହେ ନାଥ ! ମୋ ଦକ୍ଷିଣ ଆଖି କ୍ଷଣକ୍ଷଣ ନାଚେ ଦେଖି ବିପଦ ଆଗତ ହେ । ପଦ । ଯାହା ଦିନେ କାଳେ ଦେଖାନାହିଁ, ବାରେ ଶୁଣିନାହିଁ ଶ୍ରୁତିପଥ । ଜାଣେ ଦେବକୂଟ କରି କେ କପଟ ଶତ୍ରୁଭାବେ ଉପଗତ ହେ ।୧। ସବୁଦିନେ ଦିନ ନ ଥାଏ ସମାନ ପୂର୍ଣ୍ଣ ନ ଥାଏ ସରିତ । ସବୁଦିନେ ପତି, ପୂର୍ଣ୍ଣଚନ୍ଦ୍ର ରାତ୍ରି ବିହି ନ ଥାନ୍ତି ବିଧାତା ହେ ।୨। ଅଷ୍ଟ ଅଇଶ୍ୱର୍ଯ୍ୟ ଆନନ୍ଦରେ ଭୁଞ୍ଜ ରହି ପ୍ରାଣ ପଞ୍ଚଭୂତ । ଜୀବ ଗଲେ ଯିବ ଫେରି ନ ଆସିବ ଜୀବଧବ ବିଚାର ତ ।୩। ଏ ମୋହର ବାଣୀ ହିତ ବୋଲି ମଣି ପଶ ଯା ଶରଣାଗତ । ବଇଷ୍ଣବ ଭାଷେ ପାଶେ ରହ ଅଙ୍ଗେ ଘୋଡ଼ି ମୋ କାନିପଣନ୍ତ ।୪।

 

(ନିବାତକବଚର ଗୀତ)

[ଚନ୍ଦ୍ରବଦନାରେ – ବୃତ୍ତେ]

 

ବାରିଜାକ୍ଷୀ ଗୋରୀ, ବାରେ ବାରଣ ନ କର ମୋତେ । ଡରିବି କି ସଖୀ, ହାରିବି ବୋଲି ମୁଁ ଲୁଚିବିକାନିପଣନ୍ତେ ।ପଦ। ସରିଯିବ ନିଶ୍ଚେ ରାକ୍ଷସ ଗରିମା ଜନେ ହସିବେ ଜଗତେ । ଜନମିଲେ ମୃତ୍ୟୁ ଘଟଇ ଅବଶ୍ୟ ଯୋଷାମଣି ଭାବ ଚିତ୍ତେ ।୧। କାଳକେୟଗଣ ଛନ୍ତି ପଣପଣ ରଣଦକ୍ଷ ବୀର କେତେ । ରଥ ଗଜ ବାଜୀ ଯୁଦ୍ଧେ ଗଲେ ସାଜି ପଳାଇବେ ଭୂତନାଥେ ।୨। ଘାରିହେବି କିପାଁ ଐଶ୍ୱର୍ଯ୍ୟ ମଦରେ ନାରୀ ମଦନ ସରିତେ । ଅକଳଙ୍କ ବଂଶେ କଳଙ୍କ ରଟିବ ଭାଷେ ବଇଷ୍ଣବ ଗୀତେ ।୩।

 

(ନିବାତକବଚ ଅର୍ଜୁନର ପାଶେ ପ୍ରବେଶ)

 

ନିବାତ

-

ଆରେ ରେ ପାମର !

 

 

କେଉଁ ରାଜ୍ୟେ ଘର,

 

 

ଅଟୁ କାହାର କୁମର ?

 

 

ଧରି ମାନବ ଆକୃତି

 

 

ଏପରି ପ୍ରକୃତି କିପାଁ ହେଲାରେ ତୋହର ?

 

 

ତୁହି ହୋଇଣ ବାମନ;

 

 

ଚନ୍ଦ୍ର ଧରିବାକୁ କେହ୍ନେ ବଳାଉଛୁ ମନ ?

 

 

ଆହା, କେଡ଼େ ମାନବଶରୀର

 

 

ଦୈତ୍ୟଭକ୍ଷ୍ୟ ହେବ ଆଜି; ତୋର

 

 

ପ୍ରାଣେ ଆଶ ଥିଲେ ଏଥୁ ପଳାୟନ କର ।

ଅର୍ଜୁନ

-

ରେ ମୂଢ଼ ରାକ୍ଷସ ! ଶୁଣ ମୋର ଇତିହାସ

 

 

ମୁହିଁ ସହସ୍ରାକ୍ଷସୁତ, ମୋର ନାମ ପାର୍ଥ

 

 

ବାରୁଣାର ନାଥ

 

 

ଧାର୍ମିକପ୍ରବର ରାଜା ଯୁଧିଷ୍ଠିର,

 

 

ମୁହିଁ ଅଟେ ତାଙ୍କ ଦାସ ।

 

 

ଦେବଗଣେ କଷ୍ଟ ଦେଲୁ ଯେଣୁ ଦୁଷ୍ଟ;

 

 

ତେଣୁ ଆସିଅଛି ତୋତେ କରିବି ବିନାଶ

 

 

ଏବେ ସ୍ମର ତୋର ଇଷ୍ଟ ।

 

(ନିବାତକବଚର ଧିକ୍କାର ଗୀତ)

[ଏହୁ କାହା ରମଣୀମଣି – ବୃତ୍ତେ]

 

ପଳା ପଳା ଏଥୁ ମାନବ ଛାର । ଏ ଅସୁରପୁର ତିଳେ ନାହିଁ ତୋ ବିଚାର ।ପଦ। କେତେ ବିଳିବିଳି କହୁ, ଗିଳିଦେବ ଚାହୁଁ ଚାହୁଁ, ଚନ୍ଦ୍ରକୁ ଯେସନ ରାହୁ କରଇ ଆହାର ।୧। ନୀଳମେଘେ ଯେହ୍ନେ ଝଳି, ଦିଶୁଥାଏ ଆର୍ଦ୍ରାବଳୀ; ତେସନ ଦିଶୁଛି ମୋର ଧନୁ ଶୋଭାକାର ।୨। ନାହିଁ ତୋର ସୈନ୍ୟଗଣ, ଏକାକୀ କରିବୁ ଋଣ; ଉଡ଼ିଯିବ ପ୍ରାଣ ଶୁଣି ଅସୁର ଝଙ୍କାର ।୩। ଶୁଣିଲେ ରାକ୍ଷାସ ରଡ଼ି; ଦେବେ ଯିବେ ସ୍ୱର୍ଗଛାଡ଼ି; ବଇଷ୍ଣବ ବୋଲେ ଯାଇଁ ବାପକୁ ପଚାର ।୪।

 

(ଅର୍ଜୁନର ଗୀତ)

[ହରି ହରି ବୋଲ – ବୃତ୍ତେ]

 

ଆରେ ରେ ଦନୁଜ, ଦମ୍ଭ ମନୁ ତେଜ ମୁଁ ଇନ୍ଦ୍ରତନୁଜ ଜାଣ ରେ । ଧର୍ମଜ–ଅନୁଜ ନ ମଣ ତୁ ବ୍ୟାଜ ହେଜ ଆପଣା ମରଣ ରେ ।ପଦ। କି ଦେଖାଉ ଗଜବାଜୀ ସୈନ୍ୟସାଜ ଯେବେ ଭୁଜେ ଅଛି ଟାଣ ରେ । ମୋ ସଙ୍ଗେ ତୁ ଯୁଝ କେଡ଼େ ଶକ୍ତି ବୁଝ ନ ତେଜ ନ ତେଜ ରଣ ରେ ।୧। ତୋ ଅଷ୍ଟଐଶ୍ୱର୍ଯ୍ୟ ଆନନ୍ଦରେ ଭୁଞ୍ଜ ଆଜ ବିନାଶ ମୋ ପ୍ରାଣ ରେ । ତା ନ ହେଲେ ରାଜ ନାରାଜକୁ ଚାହାଁ ଦିଆହୋଇଛି ଶାଣରେ ।୨। ଆହା ରେ ନିର୍ଲଜ୍ଜ ମୁଖେ ନାହିଁ ଲାଜ ପହିଜ କରୁ ବଖାଣ ରେ । ବଇଷ୍ଣବ ଦ୍ୱିଜ ଭଣି ପଥ ଖୋଜ ଅନାଇଛି ଜନ୍ତୁରାଣ ରେ ।୩।

 

ନିବାତ

-

ଆରେରେ ଚଣ୍ଡାଳ, ପୂରିଲାଣି କାଳ ଏ ଶର ସମ୍ଭାଳ ।

ଅର୍ଜୁନ

-

ଏ ସାମାନ୍ୟ ତିଳ ସହସ୍ରେ ତୋମର ଏହି ଗଲା ଶରମାଳ ।

ନିବାତ

-

ବ୍ୟର୍ଥ ହେଲା ଏ ବାଣ, ପର୍ବତା ଶରେ ମାନବ ନେବି ତୋ ପରାଣ;

ଅର୍ଜୁନ

-

ବଜ୍ରଶରେ ରେ ରାକ୍ଷସ କଲି ନିବାରଣ, ଭୁଜଙ୍ଗାସ୍ତ୍ର ପେଶିଲି ଦାନବ, ଏହୁ ଘେନିବି ତୋ ଜୀବ ।

ନିବାତ

-

ଗରୁଡ଼ାସ୍ତ୍ରେ କାଟିଲି ରେ ତୃତୀୟ ପାଣ୍ଡବ ! ଏହି ଘୋର ତିମିରି ନାରାଚ, ପ୍ରତିଶର କର ଇନ୍ଦ୍ରବତ୍ସ !

ଅର୍ଜୁନ

-

ଅର୍ଦ୍ଧଚନ୍ଦ୍ରବାଣେ ଛେଦିଲି ରେ ନିବାତକବଚ ।

ନିବାତ

-

ଏ ଶକ୍ତି ମୁଖରୁ ମୁକ୍ତି ନ ପାଇବୁ ବୀର ।

ଅର୍ଜୁନ

-

ଏ ବାର ଦାନବ ତୋର ନାହିଁ ରେ ନିସ୍ତାର ।

 

(ଯୁଦ୍ଧେ ଅର୍ଜୁନର ପତନ, ଗୀତ)

[ଅନୁଗତ ଜନେର୍‌ ପ୍ରାନ – ବୃତ୍ତେ]

 

ଜାଣି ନ ଥିଲି ମାତଳି, ଦୈତ୍ୟ ଏଡ଼େ ମହାବଳୀ । ନ ଦିଶଇ ଦିଗ, ଦେହ ଶକ୍ତିଘାତେ ଯାଏ ଜଳି ।ପଦ। କେଡ଼େ ଅବ୍ୟର୍ଥ ସନ୍ଧାନ, ବ୍ୟର୍ଥ କଲା ଯାତୁଧାନ, ହେବ ନାହିଁ ମାନରକ୍ଷା ବୃଥା ଆରମ୍ଭିଲି କଳି ।୧। ବାଜି ଶକ୍ତି ମୋର ଅଙ୍ଗେ, ହଜିଗଲା ଜ୍ଞାନ ବେଗେ, ତେଜିଲି ସମର ଆଜି ଦେବେ ଦେବେ କରତାଳି ।୨। ନ ମାନି ତୋ ଉପଦେଶ, ବାଦେ ବଜାଇଲି ଆଶ, ସାଧେ କଲି କି ସାହାସ କୁଳେ ଲଗାଇଲି କାଳି ।୩। (ମାତଳି) କାତର ନ ହୁଅ ପାର୍ଥ, ପେଷ ଅସ୍ତ୍ର ପାଶୁପତ, ବୈଇଷ୍ଣବ ବୋଲେ ଦ୍ରତ୍ୟ ଦେଖୁ ଦେଖୁ ଯିବ ଜଳି ।୪।

 

ଅର୍ଜୁନ

-

ଏହି ଦେଖ ଶିବଦତ୍ତ ଶର,

 

 

ଏଥେ ପ୍ରାଣ ତେଜିବୁ ଅସୁର ।

 

 

ଦହିବି ଅନଳ

 

 

କାଳକେୟବଳ

 

 

ସହ ତୋ ରାଜ୍ୟ ସକଳ;

 

 

ଏଥୁଁ ତ୍ରାଣ ନ ପାଇବୁ ଦୈତ୍ୟକୁଳେଶ୍ୱର ! (ଯୁଦ୍ଧ)

ନିବାତ

-

ଓଃ, ଏ କି ଭୟଙ୍କର ବାଣ !

 

 

ଜଳିଗଲେ କାଳକେୟଗଣ,

 

 

ଜାଣିଲି ମୁଁ ଦେବକୁଳ

 

 

ତୋହ ଯୋଗେ ହେଲା ମୋ ଉଦ୍ଧାର ।

 

 

ଦେଖୁ ଦେଖୁ ଗଲା ମୋ ପରାଣ ।

 

(ଯୁଦ୍ଧ କରୁ କରୁ ପ୍ରସ୍ଥାନ-ନେପଥ୍ୟ ମୃତ୍ୟୁ, ଅଦୃଷ୍ଟକୁମାରୀଙ୍କ ଗୀତ)

[ଜୟ ଜୟ କାଳ ଜୟ ଜୟ ଜୟ – ବୃତ୍ତେ]

 

ଜୟ ଜୟ ପାର୍ଥ ଜୟ ଜୟ ।ପଦ। ଧନ୍ୟ ଧନ୍ୟ ଧନ୍ୟ ତବ ମାତା ପିତା, ଦେଖାଇଲ ଯାହା ମାନବକ୍ଷମତା, ତୁଟିଲା ଦେବଙ୍କ ଭୟ ।୧। ଅକ୍ଷୟ କୀରତି ଅର୍ଜିଲ ଜଗତେ, ବୀର ନାଶି ଯୁଦ୍ଧେ ପାମର ଦଇତେ, ଆସ ହେ ଅମରାଜୟ ।୨। ଧରି ହରି ଗର୍ବଜଞ୍ଜନ ବାନା, ସରବ କରନ୍ତି ଚୂନା, ବଇଷ୍ଣବ କରେ ଲୟ ।୩।

Image